ଆପଣଙ୍କୁ ସ୍ୱାଗତ କରୁଛି

ଶ୍ରମବାହିନୀ

ଲକ୍ଷ୍ୟ

ମୁକ୍ତ ବନ୍ଧକ ଶ୍ରମିକ ମାନଙ୍କୁ ଶସକ୍ତ କରାଇ ସେମାନଙ୍କ ଜରିଆରେ ସେହି ସମ୍ପ୍ରଦାୟକୁ ବନ୍ଧକ ମୁକ୍ତ କରିବା।

ଦର୍ଶନ

ଶ୍ରମବାହିନୀ ସାହାଯ୍ୟରେ ଆମେ ଏପରି ଏକ ଦୁନିଆର କଳ୍ପନା କରୁଛୁ ଯେଉଁଠି କେହିବି ଜଣେ ବନ୍ଧକ ଶ୍ରମିକ ଭାବରେ କାମ କରୁନଥିବେ, ଯେଉଁଠାରେ ବନ୍ଧକ ଶ୍ରମିକରୁ ମୁକ୍ତ ହୋଇଥିବା ବ୍ୟକ୍ତିମାନେ ପରିବର୍ତ୍ତନର ଅଗ୍ରଭାଗରେ ରହିଥିବେ, ଏବଂ ଯେଉଁଠାରେ ନ୍ୟାୟ, ସମ୍ମାନ ଏବଂ ସ୍ୱାଧୀନତା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ।  ବନ୍ଧକ ଶ୍ରମରୁ ମୁକ୍ତ ହୋଇଥିବା  କିଛି ବ୍ୟକ୍ତିଙ୍କ ନେତୃତ୍ୱରେ ଆମେ ଏକ ଆନ୍ଦୋଳନର ପରିକଳ୍ପନା କରୁଛୁ ଏବଂ ମିଳିତ ଭାବେ ଏହି ଅପରାଧର ଅନ୍ତ ଘଟାଇବୁ।

ଆମେ କଣ କରୁ

ବନ୍ଧକ ମୁକ୍ତ ମାନଙ୍କୁ ସଶକ୍ତ କରିବା – ବନ୍ଧକ ଶ୍ରମର ଉଚ୍ଛେଦ

ବନ୍ଧକ ଶ୍ରମିକ ମାନଙ୍କ ସମ୍ବନ୍ଧରେ ସକ୍ରିୟ ଭାବେ ତଥ୍ୟ ସଂଗ୍ରହ

ଶ୍ରମବାହିନୀ ଓଡ଼ିଶା ସମେତ ସାରା ଭାରତରେ ବନ୍ଧକ ଶ୍ରମ ସମ୍ପର୍କିତ ଘଟଣାଗୁଡିକ ରିପୋର୍ଟ କରିବାର ସୁବିଧା ଯୋଗାଉଛି। ଆମେ ସ୍ଥାନୀୟ ସମ୍ପ୍ରଦାୟ ଏବଂ ମୁକ୍ତ ବନ୍ଧକ ଶ୍ରମିକଙ୍କ ସହ ନିରନ୍ତର ଭାବେ ଜଡିତ ରହି ବନ୍ଧକ ଶ୍ରମିକ ମାନଙ୍କୁ ଠାବ କରୁଛୁ, ଏହା ସହ ଧ୍ୟାନ ଦେଉଛୁ ଯେମିତି କୌଣସି ଘଟଣା ଦୃଷ୍ଟି ଆଢ଼ୁଆଳରେ ରହିନଯାଉ। ନିରାପଦ ଏବଂ ନିରପେକ୍ଷ ମାଧ୍ୟମରେ ଖବର ସଂଗ୍ରହ କରି ଲୁଚିଥିବା ଅପରାଧଗୁଡ଼ିକୁ ବାହାରକୁ ଆଣିବା ଏବଂ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବା ଆମର ଲକ୍ଷ୍ୟ।

ବନ୍ଧକ ମୁକ୍ତ ମାନଙ୍କୁ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ଯୋଡ଼ିବା

ଆମ ସଂଗଠନ ମୁକ୍ତ ବନ୍ଧକ ଶ୍ରମିକ ଏବଂ ସରକାରୀ କର୍ତ୍ତୃପକ୍ଷଙ୍କ ଭିତରେ ଏକ ସେତୁ ଭଳି କାର୍ଯ୍ୟ କରେ ଓ ସୁନିଶ୍ଚିତ କରେ ଯେ ବନ୍ଧକ ଶ୍ରମ ସମ୍ପର୍କିତ ପ୍ରତ୍ୟେକ ସମସ୍ୟାର ସହଜ ଏବଂ ପ୍ରଭାବୀ ସମାଧାନ ହେଉ। ଆମ ସଂଗଠନ ଏହା ମଧ୍ୟ ନିଶ୍ଚିତ କରେ ଯେ, ପୀଡିତ ମାନେ କେବଳ ଉଦ୍ଧାର ହେବା ଯଥେଷ୍ଟ ନୁହେଁ ବରଂ ସେମାନଙ୍କ ପୁନଃବାସ ଓ ପୁନଃ ଥଇଥାନ ଦରକାର। ଆମର କର୍ତ୍ତବ୍ୟରତ ସଦସ୍ୟ ମାନେ ମୁକ୍ତ ବନ୍ଧକ ଶ୍ରମିକ ମାନଙ୍କୁ ସରକାରୀ ବ୍ୟବସ୍ଥା ସମ୍ପର୍କରେ ଜଣାଇବା ସହ ସେମାନଙ୍କ ସ୍ବାର୍ଥ ସୁରକ୍ଷା ଦିଗରେ ଯତ୍ନବାନ ଅଟନ୍ତି।

ଭବିଷ୍ୟତରେ ବନ୍ଧକ ଶ୍ରମକୁ ନଫେରିବା ନେଇ ଅଧିକାର ଗୁଡିକ ନିଶ୍ଚିତ କରିବା

ବନ୍ଧକ ଶ୍ରମରୁ ମୁକ୍ତ ହେବା ହେଉଛି ପ୍ରଥମ ପଦକ୍ଷେପ। ମୁକ୍ତ ବନ୍ଧକ ଶ୍ରମିକ ମାନେ କିପରି ପୁନଃ ଶୋଷଣର ଶିକାର ନହୋଇ ଉପଯୁକ୍ତ ଅଧିକାର ପାଇପାରିବେ ତାହା ସୁନିଶ୍ଚିତ କରିବା। ସେମାନଙ୍କୁ ଉପଯୁକ୍ତ ଅଧିକାର ପ୍ରଦାନ, ଯେପରିକି ସରକାରୀ ସହାୟତା, ବନ୍ଧକ ମୁକ୍ତ ପ୍ରମାଣପତ୍ର, ପୁନଃ ଥଇଥାନ, ବାସଗୃହ, ଶିକ୍ଷା ଏବଂ ରୋଜଗାର ଯୋଗାଇ ଦେବା ପାଇଁ ଲଢ଼େଇ କରିଥାଏ ଶ୍ରମବାହିନୀ। ନିଜ ସ୍ୱାଧିନତା ଓ ସମ୍ମାନ ଫେରି ପାଇବା ପାଇଁ ମୁକ୍ତ ବନ୍ଧକ ଶ୍ରମିକ ମାନଙ୍କୁ ଶସକ୍ତ କରି ଏକ ବନ୍ଧକ ଶ୍ରମିକ ମୁକ୍ତ ଭବିଷ୍ୟତ ଗଠନ କରିବା ଆମ ଲକ୍ଷ୍ୟ।

ବନ୍ଧକ ଶ୍ରମିକ ମାନଙ୍କ ବିଷୟରେ ଜାଣିବା

ରାଜ୍ୟରେ ଗ୍ରାମୀଣ ଓ ଆର୍ଥିକ ସ୍ଥିତିରେ ପଛୁଆ ଥିବା ଅଞ୍ଚଳରେ ବନ୍ଧକ ଶ୍ରମିକ ସମସ୍ୟା ଏକ ଚିନ୍ତାଜନକ ବିଷୟ। ଗୋତି ଶ୍ରମିକ ପ୍ରଥା (ଉଚ୍ଛେଦ) ଆଇନ ୧୯୭୬ କାର୍ଯ୍ୟକାରୀ ସତ୍ତ୍ୱେ ଏବେ ବି ଅନେକ କ୍ଷେତ୍ରରେ, ଯେପରିକି ଅଣସଂଗଠିତ ଓ ଅନଧିକୃତ ଶିଳ୍ପରେ ବନ୍ଧକ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଭାରତରେ ଓଡିଶା ହେଉଛି ଏପରି ଏକ ରାଜ୍ୟ ଯେଉଁଠି ଅଧିକ ମାତ୍ରାରେ ବନ୍ଧକ ଶ୍ରମିକ ନିୟୋଜିତ ହେଉଥିବା ଦେଖିବାକୁ ମିଳେ। ଦାରିଦ୍ର୍ୟ, ସଚେତନତାର ଅଭାବ ଏବଂ ସାମାଜିକ ବୈଷମତା ହେଉଛି ଏହାର ପ୍ରମୁଖ କାରଣ।

ଓଡ଼ିଶାରେ ଗୋତି ଶ୍ରମର ପ୍ରମୁଖ କାରଣ

ଉତ୍କଟ ଦାରିଦ୍ର୍ୟ

ଓଡ଼ିଶାରେ କିଛି ଅଞ୍ଚଳ ବିଶେଷକରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ରୁହନ୍ତି। ଗରିବ ଏବଂ ପଛୁଆ ବର୍ଗରେ ଥିବା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଲୋକେ ଜମିଦାର ବା ସାହୁକାର ଠାରୁ ଋଣ କରିବା ପାଇଁ ବାଧ୍ୟ ହୁଅନ୍ତି। ଠିକ୍ ସମୟରେ ପରିଶୋଧ ନକଲେ, ଋଣ ସୁଝିବାକୁ ଯାଇ ବନ୍ଧକ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୁଅନ୍ତି , ଯାହା ତାଙ୍କ ପରବର୍ତ୍ତି ପିଢ଼ି ପର୍ଯ୍ୟନ୍ତ ଚାଲିଥାଏ।

କୃଷିଭିତ୍ତିକ ବନ୍ଧକ ଶ୍ରମିକ

ଓଡ଼ିଶାରେ ‘କୃଷି’ ବନ୍ଧକ ଶ୍ରମର ଏକ ମୁଖ୍ୟ କାରଣ, ଯେଉଁଠାରେ କ୍ଷୁଦ୍ର ଚାଷୀମାନେ ଅନ୍ୟ କୌଣସି ସୁବିଧା ନପାଇ ପ୍ରାୟତଃ ସାହୁକାର ଠାରୁ ଋଣ ନେଇଥାନ୍ତି। ବଦଳରେ, ସେମାନଙ୍କୁ ସାହୁକାରଙ୍କ ଜମିରେ କମ ପାରିଶ୍ରମିକ କିମ୍ବା ବିନା ପାରିଶ୍ରମିକରେ କାମ କରିବାକୁ ପଡିଥାଏ, ଯେଉଁ ଋଣ ଜାଲରେ ସେମାନେ ଫସି ରୁହନ୍ତି ଆଉ କେବେବି ଋଣ ପରିଶୋଧ କରି ପାରନ୍ତି ନାହିଁ।

ସ୍ଥାନାନ୍ତରଣ ଏବଂ ଶ୍ରମିକ ଶୋଷଣ

ଦାରିଦ୍ର୍ୟ ଏବଂ ବେରୋଜଗାର ପାଇଁ ଓଡ଼ିଶାର କେତେକାଂଶରେ ଲୋକ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏଜେଣ୍ଟ ବା ଦଲାଲ ମାନଙ୍କ ଜାଲର ଶିକାର ହୁଅନ୍ତି ଯେଉଁମାନେ କି ସେମାନଙ୍କୁ ଭଲ କାମ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଏବଂ କର୍ଣ୍ଣାଟକ ଭଳି ରାଜ୍ୟକୁ ନେଇ ମୁଖ୍ୟତଃ ଇଟାଭାଟି ବା ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟରେ କାମ କରାଇଥାନ୍ତି,  ଯେଉଁଠାରେ ସେମାନେ ଦୀର୍ଘ ଦିନ ଧରି ଶୋଷଣର ଶିକାର ହୁଅନ୍ତି। ଅନ୍ୟ ରାଜ୍ୟର ଆଇନଗତ ସୁରକ୍ଷା ବିଷୟରେ ଅଜ୍ଞତା, ସ୍ଥାନୀୟ ଭାଷା ନଜାଣିବା ଏବଂ ସମସ୍ତ ପ୍ରକାରର ଯୋଗାଯୋଗର ବିଛିନ୍ନତା ଯୋଗୁଁ ସେମାନେ ଲମ୍ବା ସମୟ ଧରି ଶୋଷଣର ଶିକାର ହୋଇଥାନ୍ତି।

ଇଟା ଭାଟି ଏବଂ ନିର୍ମାଣ ସ୍ଥଳ

ବିଭିନ୍ନ ରାଜ୍ୟରେ ଇଟାଭାଟିରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଓଡ଼ିଶା ବାସିନ୍ଦା। ଶ୍ରମିକ ମାନେ ନିଜର ପରିବାର ସହ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେଠାରେ କାମ କରି ଶୋଷଣର ଶିକାର ହୁଅନ୍ତି। ବହୁସମୟରେ, ଠିକାଦାର ଠାରୁ ଆଗୁଆ ଟଙ୍କା ଆଣି କାମ କରିବାକୁ ଯାଇ ଦୀର୍ଘ ଦିନ ଧରି କମ ପାରିଶ୍ରମିକ କିମ୍ବା ବିନା ପାରିଶ୍ରମିକରେ କାମ କରିବାକୁ ବାଧ୍ୟ ହୋଇଥାନ୍ତି।

ଜାତିଭିତ୍ତିକ ଶୋଷଣ

ଓଡ଼ିଶାରେ ଥିବା ଜାତି ଭିତ୍ତିକ ଭେଦଭାବ, ବନ୍ଧକ ଶ୍ରମିକ ପ୍ରଥା ଉଚ୍ଛେଦ ନହେବାର ଅନ୍ୟ ଏକ ମୁଖ୍ୟ କାରଣ। ଅନୁସୂଚିତ ଜାତି ଓ ଜନଜାତି, ଯେଉଁମାନେ କାହିଁ କେଉଁ କାଳରୁ ଜାତି ଭେଦର ଶିକାର ହୋଇ ଆସିଛନ୍ତି, ଆର୍ଥିକ ଶୋଷଣର ଶିକାର ହୋଇ ସେମାନେ ବନ୍ଧକ ଶ୍ରମିକ ଭାବରେ କାମ କରିଥାନ୍ତି।

ସଚେତନତା ଏବଂ କାର୍ଯ୍ୟକାରିତାର ଅଭାବ

ଆଇନ ଗତ ସୁରକ୍ଷା ସତ୍ତ୍ୱେ, ଓଡ଼ିଶାର ବହୁ ବନ୍ଧକ ଶ୍ରମିକ ଗୋତି ଶ୍ରମିକ ପ୍ରଥା (ଉଚ୍ଛେଦ) ଆଇନ ୧୯୭୬ରେ ଥିବା ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ ନାହାନ୍ତି। ଆଇନଗତ ଅଧିକାର ଥିଲେ ବି ସମ୍ବଳର ଅଭାବ , କାର୍ଯ୍ୟକାରିତା ଏବଂ ଅଧିକାରୀ ମାନେ ସଠିକ ତାଲିମ ନ ପାଇବା କାରଣରୁ ଏହି ଆଇନର ସଠିକ ଉପଯୋଗ ହୋଇ ପାରୁନାହିଁ।  ଉଦ୍ଧାର ହେବା ପରେ ମଧ୍ୟ ଶ୍ରମିକଙ୍କ ଉପଯୁକ୍ତ ଥଇଥାନ ହୋଇପାରୁନାହିଁ, ଯାହା ଫଳରେ ସେମାନେ ପୁଣି ବନ୍ଧକ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି। 

ବନ୍ଧକ ଶ୍ରମିକଙ୍କ ଚାଲାଣ

ବେଆଇନ ବନ୍ଧକ ଶ୍ରମିକ ଚାଲାଣ ପଛରେ କିଛି ଦଲାଲଙ୍କ ହାତ ରହିଥାଏ, ଯେଉଁମାନେ କି ଋଣ ଦେବା ଆଳରେ ଶ୍ରମିକମାନଙ୍କୁ ନେଇ ଶୋଷଣ କରିଥାନ୍ତି।  ଏଥିପାଇଁ ଲୋକ ମାନେ ସ୍ୱଳ୍ପ ପାରିଶ୍ରମିକ ବା ବିନା ପାରିଶ୍ରମିକରେ କାମ କରିବାକୁ ବାଧ୍ୟ ହୋଇଥାନ୍ତି ଏବଂ ସେମାନଙ୍କ ଫାସରୁ ମୁକୁଳି ପାରନ୍ତି ନାହିଁ। ଦଲାଲମାନେ ମୁଖ୍ୟତଃ ଗରିବ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ତାଙ୍କ ଜାଲରେ ଫସାଇଥାନ୍ତି ଏବଂ ସେମାନଙ୍କୁ ରୋଜଗାରର ମିଥ୍ୟା ପ୍ରତିଶୃତି ଦେଇ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତି।

ଏହି ପ୍ରକାରର ଶୋଷଣ ସର୍ବଦା ଇଟାଭାଟି, କୃଷି, ଖଣି ଏବଂ କାରଖାନା ଗୁଡିକରେ ଅଛପା ଭାବରେ ହୋଇଥାଏ ଯାହା ଚିହ୍ନଟ କରିବା କଷ୍ଟକର ହୋଇ ପଡିଥାଏ। ଚାଲାଣ ହୋଇଥିବା ଶ୍ରମିକମାନଙ୍କୁ ଶାରୀରିକ ନିର୍ଯ୍ୟାତନା, ମାନସିକ ଆଘାତ ଦେବା ସହ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ ମଧ୍ୟ ପ୍ରତିବନ୍ଧକ ଲଗା ଯାଇଥାଏ। ଗୋତି ଶ୍ରମିକ ପ୍ରଥା (ଉଚ୍ଛେଦ) ଆଇନ ୧୯୭୬ର ପ୍ରଣୟନ ସତ୍ତ୍ୱେ ମଧ୍ୟ ଚାଲାଣ ଏବେ ବି ହେଉଛି ଓ ସଠିକ ଖବର ଅଭାବରୁ ଦୃଷ୍ଟି ଆଢୁଆଳରେ ରହି ଯାଉଛି।
 
ଏହି ଅପରାଧର ମୁକାବିଲା ପାଇଁ ଆଇନ ଶୃଙ୍ଖଳା, ଏନଜିଓ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସମନ୍ୱିତ ପ୍ରୟାସ ଆବଶ୍ୟକ। ଜନ ସଚେତନତା ଅଭିଯାନ, ଆଇନ ସହାୟତା, ଉଦ୍ଧାର କାର୍ଯ୍ୟ ଏବଂ ପୁନଃ ଥଇଥାନ ବନ୍ଧକ ଶ୍ରମିକ କାରବାରର ଚକ୍ରକୁ ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଓଡ଼ିଶାର ବନ୍ଧକ ଶ୍ରମିକଙ୍କୁ ପ୍ରଭାବିତ କରୁଥିବା କିଛି ନିର୍ଦ୍ଦିଷ୍ଟ କ୍ଷେତ୍ର

ଇଟା ଭାଟି: ଓଡ଼ିଶାରୁ ବହୁ ମାତ୍ରାରେ ଲୋକ ବାହାର ରାଜ୍ୟର ଇଟାଭାଟି ମାନଙ୍କରେ ବନ୍ଧକ ଶ୍ରମିକ ଭାବରେ କାମ କରିଥାନ୍ତି। ଶ୍ରମିକ ମାନେ ମୁଖ୍ୟତଃ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଭଳି ରାଜ୍ୟକୁ ବନ୍ଧକ ଶ୍ରମିକ ଭାବରେ ଚାଲାଣ ହୋଇଥାନ୍ତି।

କୃଷି: ପାରମ୍ପରିକ ବନ୍ଧକ ପ୍ରଥା ଏବେ ମଧ୍ୟ ଜୀବିତ ରହିଛି। ବିଶେଷ ଭାବରେ ପଶ୍ଚିମ ଓଡ଼ିଶାର କୃଷି କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ।

ଖଣି ଶିଳ୍ପ: ଓଡ଼ିଶାର ଖଣି ଶିଳ୍ପ ମଧ୍ୟ ବନ୍ଧକ ଶ୍ରମିକ ପ୍ରଥାକୁ ପ୍ରୋତ୍ସାହିତ କରେ, ଯାହା ଅନ୍ୟ କ୍ଷେତ୍ର ଭଳି ଏତେ ଜଣା ପଡ଼େ ନାହିଁ।

ନିର୍ମାଣ କ୍ଷେତ୍ର: ଓଡ଼ିଶାର ଅଧିକାଂଶ ବନ୍ଧକ ଶ୍ରମିକ ନିର୍ମାଣାଧୀନ କାର୍ଯ୍ୟରେ ବିପଦପୂର୍ଣ୍ଣ ଭାବେ ଏବଂ ସ୍ୱଳ୍ପ ପାରିଶ୍ରମିକରେ କାମ କରିଥାନ୍ତି।

« of 2 »